Unknown

 

 

 

 

 

 

 

 

 

 

ଭକ୍ତକବି ମଧୁସୂଦନଙ୍କ ଗୀତ

ଭକ୍ତକବି ମଧୁସୂଦନ ରାଓ

 

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ

 

ଅଖିଳ ବ୍ରହ୍ମାଣ୍ଡପତି ମୋ ଜୀବନ ସ୍ୱାମୀ

ହେ ପରମ ପିତାମାତା, ପ୍ରଭୁ ଅନ୍ତର୍ଯ୍ୟାମୀ

ଧନ୍ୟ କରୁଣା ତୋହର

ହେ କରୁଣା ସିନ୍ଧୁ କାହିଁ ତାର ପଟାନ୍ତର । (୧)

 

ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା

ସକଳ କଳୁଷହାରୀ ହେ ମଙ୍ଗଳଦାତା

ତୋର ମଙ୍ଗଳ ସଙ୍ଗୀତ

ନିଖିଳ ଭୁବନ ଗାଏ ହୋଇ ବିମୋହିତ । (୨)

 

ଦ୍ୟୁଲୋକେ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର

ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର

ପ୍ରଭୋ, ଭୁଲୋକେ ସାଗର

ଅଚଳ ଗହନ ନଦୀ ପଶୁ ପକ୍ଷୀ ନର । (୩)

 

ସର୍ବେ ତୋ କରୁଣା ସୁଧା କରୁଛନ୍ତି ପାନ

କୋଟି ବ୍ରହ୍ମାଣ୍ଡର ନାଥ ତୁ ପ୍ରେମନିଧାନ

 

 

ପ୍ରଭୋ, ତୋ ପ୍ରେମକିରଣ

ଉଜ୍ଜ୍ୱଳଇ ବିଶ୍ୱବାସୀ - ହୃଦନିକେତନ । (୪)

 

ଜନକ ଜନନୀ ସୁତ ସୁତା ଜାୟା ଧବ

ସହୋଦର ସହୋଦରା ଆତ୍ମୀୟ ବାନ୍ଧବ

ପ୍ରଭୋ, ଏ ସର୍ବ ସମ୍ବନ୍ଧ

ତୋର ଦୟା ନିଦର୍ଶନ ଆହେ ଆଦିକନ୍ଦ । (୫)

 

ବିରାଜିତ ତୁହି ନାଥ ସକଳ ଜୀବନେ

ସମ୍ପଦେ ବିପଦେ ସଦା ଜୀବନେ ମରଣେ

ପୂର୍ଣ୍ଣ ମଙ୍ଗଳ ଆଳୟ

ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ । (୬)

 

ବିଶ୍ୱଗୁରୁ ବିଶ୍ୱରାଜ ବିଶ୍ୱ ପିତା ମାତା

ବିଶ୍ୱଜନ ପ୍ରାଣସଖା ଦୁଃଖହାରି ଭ୍ରାତା

ଦୀନବନ୍ଧୁ କୃପାସିନ୍ଧୁ

ସୁରନର ମାଗୁଛନ୍ତି ତୋର କୃପାବିନ୍ଦୁ । (୭)

 

ସଙ୍କଟପୂରିତ ଘୋର ଭବ ସିନ୍ଧୁ ଜଳେ

ଏକମାତ୍ର କର୍ଣଧାର ତାରୁ ତୁ ସକଳେ

 

 

ତୋର ମଙ୍ଗଳ ବିଧାନ

କରିଅଛି ମରଣକୁ ଅମୃତସୋପାନ । (୮)

 

ହେ ଆନନ୍ଦମୟ କୋଟି ଭୁବନ ପାଳକ

ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ

ଜ୍ଞାନ ଦାତା ଭଗବାନ

ଦିଅ ମୋତେ ଶୁଭବୁଦ୍ଧି ଦିଅ ଦିବ୍ୟଜ୍ଞାନ । (୯)

 

ସତ୍ୟ ପଥେ ଧର୍ମ ପଥେ ଘେନିଯାଅ ମୋତେ

ଭସାଅ ପରାଣ ମୋର ତବ ପ୍ରେମ ସ୍ରୋତେ

ପ୍ରଭୁ ପରମ ଶରଣ

ଏ ଜୀବନ ଶ୍ରୀଚରଣେ କଲି ସମର୍ପଣ । (୧୦)

 

ଆକାଶ ଦିଶେ କି ସୁନ୍ଦର

 

ଆକାଶ ଦିଶେ କି ସୁନ୍ଦର ।

ଯାହାକୁ ରଚିଲେ ଈଶ୍ୱର ।।

 

ଉଜ୍ଜ୍ୱଳ ସୂର୍ଯ୍ୟ ଚନ୍ଦ୍ର ତାରା ।

ନୀଳ ସମୁଦ୍ର ଶ୍ୟାମ ଧରା ।।

 

ପର୍ବତ ନଦୀ ତରୁମାନ ।

ସୃଜିଲେ ପ୍ରଭୁ ଭଗବାନ ।।

 

ନାନା ବର୍ଣ୍ଣର ଫୁଲ ଫଳ ।

ବୃକ୍ଷର ପଲ୍ଲବ କୋମଳ ।।

 

ମନୁଷ୍ୟ ପଶୁ ପକ୍ଷୀ ଆଦି ।

ସକଳ ସୃଜିଲେ ଅନାଦି ।।

 

ତାଙ୍କରି ଆଜ୍ଞାରେ ପବନ ।

ସର୍ବତ୍ର କରେ ବିଚରଣ ।।

 

 

ଅଗ୍ନି ତାଙ୍କରି ଆଦେଶରେ ।

ଉତ୍ତାପ ତେଜ ଦାନ କରେ ।।

 

ଇଶ୍ୱର ଦୟାର ସାଗର ।

ତାଙ୍କର ମହିମା ସୁମର ।।

 

ସଙ୍ଗୀତ

 

ଭାଇ ଭଗିନୀ ସରବେ      ବିଶ୍ୱାସର ଜୟ ରବେ

ଆସ ଆସ ପୁଣ୍ୟ ବ୍ରହ୍ମୋତ୍ସବେ,

ବିଶ୍ୱାସ ନୟନେ      ଦେଖି ନିରଞ୍ଜନେ

ପ୍ରେମେ ପୂଜ ପରମ ବାନ୍ଧବେ ।

 

ଦେଖ ଦେଖ ନେତ୍ର ଫେଡ଼ି      ଆନନ୍ଦେ ଅଛନ୍ତି ବେଢି

ସେ ଶ୍ରୀପଦ କୋଟି କୋଟି ଦେବେ,

କିବା ସେ ଅମୃତ ଧନ      କି ସୁଧାମୟ ରତନ

ଦେଖ ହେ ପ୍ରତ୍ୟକ୍ଷ ଅନୁଭବେ ।

 

ଆହା କି ଆନନ୍ଦ ଧ୍ୱନି      ଉଠଇ ଭେଦି ଅବନୀ

ସେହି ସତ୍ୟ ନାମର ଗୌରବେ,

ଧରି ସେହି ସତ୍ୟନାମ      ହୋଇ ସର୍ବେ ସତ୍ୟକାମ

ବୁଡ଼ିଯାଅ ସତ୍ୟର ଅର୍ଣ୍ଣବେ ।

 

 

 

 

 

ବୁଡ଼ି ସତ୍ୟସିନ୍ଧୁ ଜଳେ      ପବିତ୍ର ପ୍ରାଣ ସକଳେ

ବାରେ ଡାକ ମିଳିଣ ସରବେ,

ବିରାଜିବେ ପ୍ରାଣହରି      ଉତ୍ସବ ସ୍ୱରୂପ ଧରି

ଭୁଂଜ ସେହି ସ୍ୱରଗ-ବିଭବେ ।

 

ନୂତନ ସଙ୍ଗୀତ

(କାମୋଦୀ-ଆଦିତାଳ)

 

ଅହିଂସା ପରମଧର୍ମ, ପୁଣ୍ୟ ମନ୍ତ୍ର ଉଚ୍ଚାରି

ଧନ୍ୟ ହୁଅ ନରନାରୀ ଜୀବ ହିଂସା ନିବାରି ।

ଜୀବ ପ୍ରତି ଦୟାବହି ପବିତ୍ର କର ଏ ମହୀ

ଯୁଗେ ଯୁଗେ ମହାଜନେ ନାହାନ୍ତି କି ବିଚାରି ।।

 

ଏ ଦଗ୍‌ଧ ଉଦର ଲାଗି ନ ହୁଅ ପାତକଭାଗୀ

ଏ ପବିତ୍ର ଉପଦେଶ ଘେନ ହୃଦ ବିଚାରି ।

ଜୀବନର ପ୍ରାଣ ସଂହାର ଅମେଧ୍ୟ ଆମିଷାହାର

ନୁହେଁ କି ରେ ମ୍ଳେଚ୍ଛାଚାର ଚିନ୍ତ ହେ ନରନାରୀ ।।

 

କ୍ରୂର ମ୍ଳେଚ୍ଛଭାବ ତେଜି ଶୁଦ୍ଧ ସତ୍ତ୍ୱଧର୍ମ ହେଜି

ଭାବେ ଦୟାବ୍ରତ ସାଧି ହୁଅ ଶୁଦ୍ଧ ଆଚାରୀ ।

କେ ଅଛ ଭାରତଧାମେ ଦୟା ପୁଣ୍ୟ ଧର୍ମ ନାମେ

ଶୁଣ ବାରେ କୋଟି ଯାତନାର ଗୁହରି ।।

 

ନିଦାରୁଣ ଜୀବ ନାଶ ନିବାର ହେ ଆସ ଆସ

ଉଡାଅ ଧରମବାନା ରଣବେଶେ ବାହାରି ।

ରାକ୍ଷସୀ ପ୍ରବୃତ୍ତିଚୟ ନାଶି ସାଧ ହେବ ଜୟ

ପ୍ରାଣେ ପ୍ରାଣେ ହୃଦେ ହୃଦେ ଦୟାଧର୍ମ ସଞ୍ଚାରିତ ।।

 

ଜୀବର ଯାତନା ଧ୍ୱନି ଶୁଣି କାନ୍ଦଇ ମେଦିନୀ

ଦୁଃଖ-ଦଗ୍‌ଧ ପ୍ରାଣେ ତାର ଢାଳ ହେ ଶାନ୍ତିବାରି ।

 

ସ୍ୱାଗତ ସଙ୍ଗୀତ

 

(୧)

କ୍ଷତ୍ରିୟର ତେଜୋବୀର୍ଯ୍ୟ ପୌରୁଷଗାରିମା

ନୃପତିର ସୁକଲ୍ୟାଣ ସୁକୃତ ମହିମା ।

ସମ୍ମିଳିତ ଏକାଧାରେ ଶ୍ରଛାମୁଙ୍କଠାରେ

ଜୟ ହେ ସୁଢଳ ଦେବ ଯଶ୍ୱସୀ ସଂସାରେ ।।

 

(୨)

ଉଦ୍‌ଯୋଗୀ ପୁରୁଷ-ସିଂହ ମହାକର୍ମବୀର

ଜ୍ଞାନେ ବୃହସ୍ପତି, ମହାପ୍ରବୀଣ ସୁଧୀର ।

ସୁଧାମୟ ସାରସ୍ୱତ ନିକୁଞ୍ଜବିହାରୀ

ଜୟ ହେ ସୁଢଳ ଦେବ ଜନହୀତକାରୀ ।।

 

(୩)

ଉତ୍କଳ ସାହିତ୍ୟ କ୍ଷେତ୍ରେ ରସଜ୍ଞ ସୁକବି

ଚିତ୍ରି ଅଛ ଚିତ୍ରୋତ୍ପଳା, ବୀରବାମା ଛବି ।

ଦରିଦ୍ର ଉତ୍କଳ ଭାଷା ଦୁର୍ଗତି ବିନାଶୀ

ଜୟ ହେ ସୁଢଳ ଦେବ ସାହିତ୍ୟବିଳାସୀ ।।

 

(୪)

ମାତୃଭାଷା, ଛାମୁଯୋଗୁଁ ଏବେ ସାଳଙ୍କାର

କବିବୁଧ ଆଶାଲତା ଲଭି କୃପାଧାର ।

ହୋଇଅଛି ଫଳବତୀ ଏ ଉତ୍କଧାମେ

ଜୟ ହେ ସୁଢଳ ଦେବ, ଜୟ ତବ ନାମେ ।।

 

(୫)

ଗୀର୍ବାଣ-ବିଭବ ଜ୍ଞାତା ବୁଧ-ଶିରୋମଣି

ସଂସ୍କୃତ ଭାରତୀ ଦେବୀ ସେବକ ଅଗ୍ରଣୀ ।

ବାସୁଦେବ ସମ, ନୀତି କୁଶଳ ଚତୁର

ଜୟ ବାସୁଦେବ-ନାମ ସୁଧୀବର ଶୂର ।।

 

(୬)

ଉତ୍କଳବକ୍ଷରେ ଯାର କୀର୍ତ୍ତମଣିହାର

ଅଟ ସେହି ମହା-ଗଙ୍ଗବଂଶ-ଅଳଙ୍କର ।

ତବ ଶୁଭ ଆଗମନେ ଉତ୍କଳ ମଣ୍ଡଳ

ଗାଏ ‘‘ହେ ବାମଣ୍ଡେଣ ! ହେ ଦେବ ସୁଢଳ ।।’’

 

 

 

 

(୭)

ମହାଭାଗ,ମହାମତି, ସୁଯୋଗ୍ୟ ନନ୍ଦନ

ଶ୍ରୀ ସଚ୍ଚିଦାନନ୍ଦ ଦେବ ପ୍ରସନ୍ନ ବଦନ ।

ବିନୟର ଅବତାର ବିଜ୍ଞାନ-ବିଳାସୀ

ବିଜେ ଶୁଭକ୍ଷଣେ ଛାମୁ ସଙ୍ଗତରେ ଆସି ।।

 

(୮)

ଉଭୟଙ୍କୁ ଶ୍ରଦ୍ଧାପୂର୍ଣ୍ଣ ସ୍ୱାଗତ ଭାଷଣ

ଜଣାଉଛି ଆଲୋଚନା ସଭା ଅକିଞ୍ଚନ ।

ଜୟ ଶ୍ରୀ ସୁଢଳ ଦେବ ଜୟ ମହାରାଜ

ଜୟ ଶ୍ରୀ ସଚ୍ଚିଦାନନ୍ଦ ଜୟ ଯୁବରାଜ ।।

 

ପଦ୍ମ

 

କୋଟି ଲାବଣ୍ୟନିଧିରେ ପଦ୍ମ ତୁହି

କି ଅମୃତେ ତୋ ତନୁ ଗଢ଼ିଲା ବିହି ?

ତୋ ରୂପ-ଦରଶନେ ମୋର ହୃଦୟ

ପୁଣ୍ୟ ଆନନ୍ଦେ ହୁଏ ଅମୃତମୟ ।୧।

 

ଢଳ ଢଳ ସୁନୀଳ ସରସୀ ଜଳ

ଢଳ ଢଳ ଶ୍ୟାମଳ ନଳିନୀ ଦଳ ।

ଢଳ ଢଳ ଭାସ୍କର ରଶ୍ମି ଉଜ୍ଜ୍ୱଳ

ତା ମଧ୍ୟେ ଢଳ ଢଳ ତୁହି କମଳ ।୨।

 

ହସ ହସ ବଦନେ ହରଷଭରେ

ଅନାଇ ରହିଅଛି ତୁ ଦିବାକରେ ।

ତୋ ମୁଖେ ଜ୍ୟୋତିଧାରା ସେ ଦିବାକର

ଢାଳଇ ଅବିରଳ ଆରେ ପୁଷ୍କର ।୩।

 

ପିଉ ତୁ କି ଆନନ୍ଦେ ପୀୟୂଷ ସରି

ସେ ଶୁଭ୍ର ଜ୍ୟୋତିଧାରା ଭକତି କରି ।

 

 

ଆହା କି ଦିବ୍ୟଶିରୀ ତହୁଁ ତୁ ଲଭୁ

ଧନ୍ୟ ଉତ୍ପଳ, ଧନ୍ୟ ତୋହରି ପ୍ରଭୁ ।୪।

 

ମକରନ୍ଦ- ଅମୃତ ହୃଦେ ତୋହର

ତହୁଁ ସ୍ଫୁରଇ ବାସ କି ମନୋହର !

ସେ ମଧୁପାନେ ମତ୍ତ ମଧୁପଦଳ

ସେ ସୌରଭେ ପରାଣ କେଡେ ଶୀତଳ ।୫।

 

ଶ୍ୱେତ ଲୋହିତେ ରଙ୍ଗା ତୋ ଶୁଭ୍ର ତନୁ

ବାରେ ଦେଖିଲେ କେଭେ ନ ଯିବ ମନୁ ।

ସର୍ବ ଶୋଭାର ତୁହି ଉପମାସ୍ଥଳ

ଭକତ ପ୍ରେମିକର ତୁହି ସମ୍ବଳ ।୬।

 

ସ୍ନେହ କରୁଣା ଭକ୍ତି ପବିତ୍ର ରସ

ପୂରିଛି ତୋ ଅନ୍ତର,ରେ ତାମରସ ।

ନୋହିଲେ କାହୁଁ ତୋର ଦର୍ଶନେ ମନ

ବିମଳ ପ୍ରେମରସେ ହୁଏ ମଗନ ।୭।

 

ମଧୁମୟ ପବିତ୍ର ଯାହା ବିଶ୍ୱରେ

ତୋ ନାମ ସଙ୍ଗେ ମିଶା ବିଧାତା ବରେ ।

 

 

ପ୍ରିୟ ମୁଖ ନୟନ କର ଚରଣ

ତୋ ନାମ ସଙ୍ଗେ ସିନା ସୁଖ କାରଣ ।୮।

 

ସତ୍ୟ ଶିବ ସୁନ୍ଦର ପରମେଶ୍ୱର-

ନାମ ସଙ୍ଗତେ ଲଗ୍ନ ନାମ ତୋହର ।

ତେଣୁରେ ଅରବିନ୍ଦ ଭକ୍ତଜନର

ବିଭୁ ପଦାରବିନ୍ଦ ସୁମନୋହର ।୯।

 

ସର୍ବ ଶୋଭାର ପଦ୍ମରେ ପଦ୍ମ, ତୋର

ସଙ୍ଗେ ନିଗୂଢ଼ ଯୋଗ ଅଛଇ ମୋର ।

ଜୀବନ ମରଣରେ ତୋ ସଙ୍ଗେ ମିଶି

ଥାଉ ମୋ ମନ-ପଦ୍ମ ଦିବସ ନିଶି ।୧୦।

 

କଳୁଷ ପଙ୍କେ ମୁହିଁ କେଡେ ମଳିନ !

କେମନ୍ତେ ସରି ତୋର ହେବି ନଳିନ ।

ପଙ୍କଜ ଅଟୁ ତୁହି, ତେଣୁ ଭରସା

ତା ପରି ଶୁଭ୍ର ହେବି ଲଭି ସୁଦଶା ।୧୧।

 

ଅନନ୍ତ ମହେଶ୍ୱର ମୋ ପ୍ରାଣସାଇଁ

ବୋଲି ରାଜୀବ, ସଦା ଥିବି ଅନାଇଁ ।

ଶିଖାଅ ମୋତେ ସଦା ଏ ପୁଣ୍ୟ ବ୍ରତ

ତୋର ଆଶିଷେ ପୂରୁ ମୋ ମନୋରଥ ।୧୨।

 

ଶରତ

(ରାଗ-ମଙ୍ଗଳ)

 

ରୁଚିର ଶରଦକାଳ ବିରାଜିଲା ଆସି

ହସିଲା ଧରଣୀରାଣୀ ଶୋଭା ପରକାଶି ।

କାଶତଣ୍ଡୀ ଫୁଲେ ମହୀଦିଶଇ ଧବଳ

ସରୋବରେ ଫୁଟିଛନ୍ତି କୁମୁଦ କମଳ ।।

 

ସୁନ୍ଦର ମାଳତୀ ଗଙ୍ଗ-ଶିଉଳୀ ଟଗରେ

ଧବଳିତ ଉପବନ ଜନମନ ହରେ ।

ଖଣ୍ଡ ଖଣ୍ଡ ଧଳାମେଘ ସୁନୀଳ ଅମ୍ବରେ

ଭାସଇ ବୋଇତ ଯଥାନୀଳ ସମୁଦ୍ରରେ ।।

 

ରଜନୀରେ ନୀଳାକାଶେ ଚନ୍ଦ୍ରମା ଉଜ୍ଜ୍ୱଳ

ବିରାଜଇ ଦଶଦିଶ କରିଣ ଧବଳ ।

ଉଜ୍ଜ୍ୱଳ ନକ୍ଷତ୍ରମାଳା ଚନ୍ଦ୍ର ସଙ୍ଗତରେ

ଶୋଭନ୍ତି ପ୍ରଫୁଲ୍ଲ ପୁଷ୍ପ ପରାୟେ ଅମ୍ବରେ ।।

 

ନଦୀ ପୁଷ୍କରିଣୀ ଜଳଏବେ ସୁନିର୍ମଳ

କ୍ରୀଡ଼ନ୍ତି ହରଷେ ତହିଁ ଧଳା ହଂସଦଳ ।

ଧାନ୍ୟକ୍ଷେତ୍ରେ ପକ୍ୱଶାଳି ଦିଶଇ ସୁନ୍ଦର

ଦରଶନେ ଆନନ୍ଦିତ ମନ କୃଷକର ।।

 

ସୁନୀଳ ଅପରାଜିତା ଫୁଟିଅଛି ବନେ

ବଧୂଲୀ କୁସୁମ ରଙ୍ଗ ତୋଷଇ ଲୋଚନେ ।

ଧରିଛି ଅଗସ୍ତି ଦ୍ରୁମ କୁସୁମ-ମଞ୍ଜରୀ

ବଙ୍କିମ ଦିଶଇ ଯାହା ବାଳ ଇନ୍ଦୁ ପରି ।।

 

ପ୍ରଦୋଷେ ଫୁଟଇ ଜହ୍ନିଫୁଲ ଘରେ ଘରେ

ବାଳକେ ତୋଳନ୍ତି ତାହା ମହା ଆନନ୍ଦରେ ।

ପ୍ରଫୁଲ୍ଲ କୁସୁମବନୁ ପୁଷ୍ପଗନ୍ଧ ହରି

ଶୀତଳ ସୁରଭି ପଦ୍ମ-କାନନେ ସଞ୍ଚରି ।।

 

ନଚାଇ ତରଙ୍ଗେ ନଦୀ-ସରୋବର-ନୀର

ନଚାଇଣ ଶସ୍ୟାବଳୀ ବହଇ ସମୀର ।

ରଜନୀରେ କୁମାରୀଏ ମହା ଆନନ୍ଦରେ

ମଣ୍ଡିଣ ସୁନୀଳ କେଶ ଶୁଭ୍ର କୁସୁମରେ ।।

 

ତାରାବିମଣ୍ଡିତ ନୀଳ-ଗଗନକୁ ଚାହିଁ

ହରନ୍ତି ମାନସ ନାନା-ରଙ୍ଗେ ଗୀତ ଗାଇ ।।

 

ଜନ୍ମଭୂମି

 

ତୁହି ମା ଜନ୍ମଭୂମି ପବିତ୍ର ଭାରତ ଭୂମି

ତୋହରି ସନ୍ତାନ ଆମ୍ଭେ ଅଟୁ ସରବେ

ତୋର ଶ୍ରୀ ଚରଣ ସେବା ପାଇଁ ମନ ପ୍ରାଣ ଦେବା

ଗାଇବା ତୋହର ନାମ ଆନନ୍ଦରବେ ।

ତୋ ଆନନ୍ଦେ ହୋଇବା ସୁଖି

କାନ୍ଦିବା ଦୁଃଖରେ ତୋର ହୋଇଣ ଦୁଃଖି ।।

 

ଧନ୍ୟ ମହିମା ତୋହର ନାହିଁ ତାର ପଟାନ୍ତର

ମସ୍ତକରେ ହିମାଳୟ ପର୍ବତବର

ଦୁଇ ପାରୁଶେ ଜଳଧି ବ୍ରହ୍ମପୁତ୍ର ସିନ୍ଧୁ ନଦୀ

ଚରଣରେ ବିରାଜିତ ମହାସାଗର ।

ବିନ୍ଧ୍ୟ ଗିରିବର କଟିରେ

ଗଙ୍ଗା ଆଦି କେତେ ନଦୀ ଶୋଭେ ଶରୀରେ ।।

 

ଜନମିଲେ ତୋ କୋଳରେ କେତେ ସୁରବୀର ନରେ

ରାମଚନ୍ଦ୍ର ଭୀଷ୍ମ ଦ୍ରୋଣ କର୍ଣ୍ଣ ଅର୍ଜ୍ଜୁନ

ମହାକବି ବେଦବ୍ୟାସ ବାଲମୀକି କାଳିଦାସ

ଗାଇଲେ ପବିତ୍ର କଣ୍ଠ ତୋହରି ଗୁଣ ।

ଚୈତନ୍ୟାଦି ମହାତ୍ମା ଜନେ

ପ୍ରଚାରିଲେ ବିଭୁନାମ ଆନନ୍ଦମନେ ।।

 

କେତେ କେତେ ପୁଣ୍ୟବତୀ କେତେ ପତିବ୍ରତା ସତୀ

କେତେ ବୀରନାରୀ କେତେ ବୀର ଜନନୀ

ସମସ୍ତେ ଦୁହିତା ପଦ୍ମିନୀ ସାବିତ୍ରୀ ସୀତା

ଦୁର୍ଗାବତୀ ଆଦି କେତେ ବୀର ରମଣୀ ।

ନମଇ ମା ଭକତି ଭରେ

ଅଧମ ଅକ୍ଷମ ସୁତ ତୋ ଚରଣରେ ।।